ଡିପ୍ରେସନ

ଦୈନ୍ୟନ୍ଦିନ ଜୀବନରେ ମନ ଦୁଃଖ ଲାଗିବା ଏକ ସାଧାରଣ କଥା। ଆମେ ସମସ୍ତେ କିଛି ନା କିଛି କାରଣରୁ ବିଭିନ୍ନ  ସମୟରେ ଦୁଃଖିତ ରହିଥାଉ। ଏହା ବିଶେଷତଃ କଠିନ ଓ ଚିନ୍ତା ଜନକ  ପରିସ୍ଥିତିରେ ଦେଖା ଯାଇଥାଏ। ଯେତେବେଳେ ପରିସ୍ଥିତି ବଦଳେ ସେତେବେଳେ ସବୁ ଠିକ ଠାକ ହୋଇ ଯାଏ। ମାତ୍ର କିଛି ଲୋକଙ୍କ ଠାରେ  ମାନସିକ ଦୁଃଖ , ଉଦାସୀନତା ଲାଗି ରହେ ବା ଅଧିକ ମାତ୍ରାରେ ଦେଖା ଯାଇଥାଏ। ଏହାକୁ ଡିପ୍ରେସନ  ବା ଅବସାଦ ରୋଗ କୁହାଯାଏ।

ଲକ୍ଷଣ

ଡିପ୍ରେସନ ରୋଗରେ ଦୁଇ ସପ୍ତାହରୁ  ବେଶୀ ଦିନ ପର୍ଯ୍ୟନ୍ତ ମନ  ଅଧିକାଂଶ ସମୟ ଦୁଃଖ ରହି ଥାଏ। କାହା ସହିତ ମିଳା ମିଶା କରିବାକୁ ଇଚ୍ଛା ହୁଏ ନାହିଁ। ବ୍ୟକ୍ତି ସବୁବେଳେ ଏକୁଟିଆ ରହିବାକୁ ପସନ୍ଦ କରିଥାଏ।  ଜୀବନର ବିଭିନ୍ନ ଇଚ୍ଛା ଓ  ଆନନ୍ଦ ଦେଉଥିବା ବିଷୟ ସବୁ ଆଉ ଖୁସି ଦିଏ  ନାହିଁ । ମନରେ ଏକାଗ୍ରତା ରହେ ନାହିଁ,  ମନ ବିଚଳିତ ଓ ଅସ୍ଥିର ରହେ, ସ୍ମରଣ ଶକ୍ତି ହ୍ରାସ ପାଏ। ଅଧିକାଂଶ ସମୟରେ କ୍ଳାନ୍ତ ଲାଗେ ଓ କାମ କରିବାକୁ ଇଚ୍ଛା ହୁଏ ନାହିଁ । ନିଜର ଆତ୍ମବିଶ୍ଵାସ କମି ଯାଏ ଓ ଭବିଷ୍ୟତ ଅନ୍ଧକାର ଲାଗେ । ବ୍ୟକ୍ତି ଛୋଟ ଛୋଟ କଥାରେ ନିଜକୁ ଦୋଷୀ ମନେ କରେ।  ମନରେ ଆତ୍ମହତ୍ୟାର ବିଚାର ଆସେ ଏବଂ ୧୫ ରୁ ୨୦ ପ୍ରତିଶତ ବ୍ୟକ୍ତି  ଆତ୍ମହତ୍ୟା ମଧ୍ୟ କରି ଥାନ୍ତି।  ନିଦ ଓ ଭୋକ ସାଧାରଣତଃ କମି ଯାଏ। ବିଶେଷତଃ ସକାଳ ସମୟରେ ମନ ଅତ୍ୟନ୍ତ ଦୁଖଃ ରହେ। ବିନା କାରଣରେ କାନ୍ଦ ଲାଗେ। ଏହି ସମୟରେ ନାନା ପ୍ରକାରର ଶାରୀରିକ ସମସ୍ୟା ଯଥା ମୁଣ୍ଡ ବିନ୍ଧା,  ଦେହ ହାତ ପୀଡା ହେବା, ବଦହଜମି ହେବା, ଯୌନ ସମସ୍ୟା ଆଦି ଦେଖା ଯାଇ ଥାଏ। କେତେକ ମହିଳାଙ୍କ ଠାରେ   ପିଲା ଜନ୍ମର ଠିକ ପରେ ଡିପ୍ରେସନ ରୋଗ  ଦେଖା ଯାଇଥାଏ । ଡିପ୍ରେସନ ରୋଗ ଅଧିକ ଦିନ ପର୍ଯ୍ୟନ୍ତ ଲାଗି ରହିଲେ ଅନ୍ୟ କେତେକ ମାନସିକ ସମସ୍ୟା ଯଥା ଉଦବେଗ ରୋଗ (ଆଙ୍ଗଜାଇଟି), ଛାନିଆ ରୋଗ (ପ୍ୟାନିକ ରୋଗ)  ଆଦି ଆରମ୍ଭ ହୋଇ ପରେ।

ମାନସିକ ଉଦବେଗ ରୋଗ

ଉଦବେଗ ରୋଗ (Generalized anxiety disorder) ଏକ ପ୍ରକାରର ମାନସିକ ସମସ୍ୟା। ଅନେକ ଲୋକ ବେଳେ ବେଳେ ମାନସିକ ଚାପ, ଚିନ୍ତା, ଛାନିଆ, ବ୍ୟସ୍ତତା ଆଦି ଲକ୍ଷଣ ଅନୁଭବ କରନ୍ତି। ଏହା ବିଶେଷତଃ କଠିନ ଓ ଚିନ୍ତାଜନକ ପରିସ୍ଥିତିରେ ଦେଖା ଯାଇଥାଏ। ଯେତେବେଳେ ପରିସ୍ଥିତି ବଦଳେ ସେତେବେଳେ ସବୁ ଠିକ ଠାକ ହୋଇ ଯାଏ। ମାତ୍ର କିଛି ଲୋକଙ୍କ ଠାରେ  ଏହି ସବୁ ଲକ୍ଷଣ ଲାଗି ରହେ ବା ଅଧିକ ମାତ୍ରାରେ ଦେଖାଯାଇଥାଏ । ଏହା ବିନା କାରଣରେ ବା ଅତି ସାମାନ୍ୟ କାରଣରେ ଦେଖା ଯାଇଥାଏ। ଏହାକୁ ମାନସିକ ଉଦବେଗ ରୋଗ ବା Generalized anxiety disorder କୁହାଯାଏ। ଶତକଡା ୩-୮ ପ୍ରତିଶତ ଲୋକଙ୍କ ଠାରେ ଏହି ରୋଗ ଦେଖା ଯାଇଥାଏ। ଏହା  ପୁରୁଷମାନଙ୍କ  ଅପେକ୍ଷା ମହିଳାମାନଙ୍କ ଠାରେ ବେଶୀ ଦେଖା ଯାଇଥାଏ।

ଉଦବେଗ ରୋଗର ଲକ୍ଷଣ

  • ମାନସିକ ଚାପ, ଚିନ୍ତା ଏହି ରୋଗର ପ୍ରମୂଖ ଲକ୍ଷଣ।
  • ଅତ୍ୟଧିକ ବ୍ୟସ୍ତତା, ଛାନିଆ, ବିଚଳିତ ଭାବ, ଚିଡିଚିଡା ଭାବ, ଉଦବେଗ ସବୁବେଳେ ଲାଗି ରହେ।
  • ବେଳେବଳେ ଦେହ ହାତ ଥରିବା, ପାଟି ଶୁଖି ଯିବା, ଛାତି ଧଡ ଧଡ ହେବା, ଅତ୍ୟଧିକ ଝାଳ ବୋହିବା, ମୁଣ୍ଡ ବୁଲାଇବା ଆଦି ଲକ୍ଷଣ ମଧ୍ୟ ଦେଖା ଯାଇ ଥାଏ।
  • ନିଦ ନ ହେବା , କାମରେ ମନ ନ ଲାଗିବା, ମନ ଭାରକ୍ରାନ୍ତ ରହିବା, କାହା ସହିତ କଥା ହେବାକୁ ଇଚ୍ଛା ନ ହେବା ମଧ୍ୟ ଦେଖା ଯାଇଥାଏ ।
  • କିଛି ଲୋକ ମାନସିକ ଉଦବେଗର ମୁକାବିଲା କରି ନ ପାରି ଭୁଲବଶତଃ ନିଶା ସେବନ ଆରମ୍ଭ କରିଦିଅନ୍ତି। ଯାହା ଦ୍ଵାରା ଉଦବେଗ ଆହୁରି ବଢି ଯାଏ।
  • କେତେକ ଲୋକ ମାନସିକ ଉଦବେଗ ଯୋଗୁଁ ଆତ୍ମହତ୍ୟାର ଉଦ୍ୟମ ମଧ୍ୟ କରିଥାନ୍ତି।

 

ସ୍କିଜୋଫ୍ରେନିୟା

ସ୍କିଜୋଫ୍ରେନିୟା (Schizophrenia) ବା ବିଖଣ୍ଡ ମନସ୍କତା ହେଉଛି ଏକ ପ୍ରକାର ଗୁରୁତର ମାନସିକ ରୋଗ। ଏହା ମଣିଷର ଭାବନା , ଆବେଗ , ବ୍ୟବହାର ଓ କାର୍ଯ୍ୟଦକ୍ଷତା ଆଦିକୁ  ବିଶେଷ ଭାବରେ ଆକ୍ରାନ୍ତ କରିଥାଏ । ଏହି ରୋଗରେ ବିଭିନ୍ନ ପ୍ରକାରର ଲକ୍ଷଣ ଦେଖାଯାଇଥାଏ । ଏଥିରେ  ପରିବେଶ ଓ ପରିପାର୍ଶ୍ଵ ସହ ସମ୍ପର୍କ କାଟି ଯାଏ  ଏବଂ ରୋଗୀ ନିଜ ଦୁନିଆରେ ବଞ୍ଚିବା ଆରମ୍ଭ କରେ। ଅପଭ୍ରମ (ହାଲୁସିନେଶନ୍ସ) (hallucinations),ଭ୍ରାନ୍ତ ବିଶ୍ଵାସ (ଡିଲିଉଜନ) (delusion), ବିଷାଦ ସହିତ ରୋଗୀ ନିଜର ସାଧାରଣ ଚିନ୍ତା ଶକ୍ତି, ଭାବ, ଇଚ୍ଛା , ଆଗ୍ରହ , ମନଯୋଗ , ନିଜର ଯତ୍ନ ଓ ଅନେକ ଗୁଣ ଧୀରେ ଧୀରେ ହରାଇ ଥାଏ । ଅପଭ୍ରମ (hallucinations) ରେ ରୋଗୀ କିଛି  କାରଣ ନ ଥାଇ କଥା ଶୁଭୁଛି , ଶୂନ୍ୟବାଣୀ ହେଉଛି ବୋଲିକହିଥାଏ । ନଥିବା ବସ୍ତୁ ବା ବ୍ୟକ୍ତିମାନଙ୍କୁ ଦେଖି ପାରୁଛି  ବୋଲି କହି ଥାଏ।ରୋଗୀ ବେଳେ ବେଳେ ଏ ସବୁ ଅନୁଭବ ପ୍ରତି ପ୍ରତିକ୍ରିୟା ପ୍ରକାଶ କରେ । ଏହି ପ୍ରତିକ୍ରିୟାରେ  ରୋଗୀ  ନିଜେ ମନେ ମନେ କଥା ହୁଏ, ଶୂନ୍ୟରେ ଜବାବ ଦିଏ, ମନକୁ ମନ ହସେ ଓ  କାନ୍ଦେ।

ଭ୍ରାନ୍ତ ବିଶ୍ବାସ (delusion) ଏକ ଅସତ୍ୟ ବା  ଭୁଲ ଧାରଣ  ଯାହାକୁ ରୋଗୀମାନେ ନିଜ ମନରେ ଗଣ୍ଠି ବାନ୍ଧି ଧରି ବସନ୍ତି ଏବଂ ଏହା ଅନ୍ୟ ମାନଙ୍କ ଦ୍ଵାରା ଗ୍ରହଣୀୟ ହୋଇ ନ ଥାଏ।  ଏଥିରେ ରୋଗୀମାନେ  ଅନ୍ୟ ମାନଙ୍କ  ଉପରେ ସନ୍ଦେହ କରି ଥାନ୍ତି। ସେମାନଙ୍କର ଏହି ଧାରଣା ଏତେ ଦୃଢ ଥାଏ ଯେ ତାହାକୁ  ଭୁଲ ପ୍ରମାଣ କଲେ ବି ତାଙ୍କ ବିଶ୍ଵାସରେ ପରିବର୍ତନ ହୁଏ ନାହିଁ । ଏହି ରୋଗୀ ମାନେ ନିଜ ଭ୍ରାନ୍ତ ଧାରଣ ଦ୍ଵାରା ପରିଚାଳିତ ହୋଇଥାନ୍ତି। ବେଳେ ବେଳେ ଚିନ୍ତା ଶକ୍ତିରେ ଏତେ ଅସୁବିଧା ହୁଏ ଯେ ରୋଗୀ କ’ଣ କରୁଛି , କଣ କହୁଛି କିଛି ବୁଝା ପଡେନି। ରୋଗୀ ବେଳେ ବେଳେ ଉତ୍ତେଜିତ ହୋଇପଡେ। ନିଜର ଯତ୍ନ ନେବାରେ ହେଳା ଦେଖାଯାଏ । ରୋଗୀର ନିଦ  କମି ଯାଏ। କିଛି ରୋଗୀ ମାନେ ମଧ୍ୟ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥାନ୍ତି।

 

 

 

ଅଟିଜିମ ରୋଗ

ଅଟିଜିମ  ହେଉଛି ଏକ ମସ୍ତିଷ୍କ ବିକାଶ ସମ୍ବନ୍ଧୀୟ ରୋଗ ଯାହା ସାଧାରଣତଃ ଶୈଶବ ଅବସ୍ଥାରୁ ଆରମ୍ଭ ହୋଇ ଥାଏ।  ଏହି ରୋଗରେ ସାମାଜିକ ସମ୍ପର୍କ ସ୍ଥାପନ, ଭାବର ଆଦାନ ପ୍ରଦାନ ଓ ଭାଷାର ପରିପ୍ରକାଶ ଆଦିରେ ଅସୁବିଧା ଦେଖା ଯାଇଥାଏ।

ଅଟିଜିମ ରୋଗରେ ଶିଶୁ  ଅନ୍ୟ ମାନଙ୍କ ସହିତ ସାମାଜିକ ସମ୍ପର୍କ ସ୍ଥାପନ କରିବାରେ ଅସୁବିଧାର ସମ୍ମୁଖୀନ  ହୋଇ ଥାଏ। ଏକ ବର୍ଷ ବୟସ ସୁଦ୍ଧା ଏହି ଶିଶୁମାନଙ୍କୁ ନିଜ ନା ଧରି ଡାକିଲେ ସେମାନେ ଜାଣି  ପାରନ୍ତି ନାହିଁ।  ନିଜ ଆଖପାଖ ଲୋକଙ୍କ ସହିତ ମିଳାମିଶା କରନ୍ତି ନାହିଁ ଓ କୌଣସି ଅସ୍ପଷ୍ଟ ଶବ୍ଦ ସୃଷ୍ଟି କରି ପାରନ୍ତି ନାହିଁ। ୧ ରୁ ୩ ବର୍ଷ ବୟସ୍କ ଶିଶୁମାନେ ଅନ୍ୟମାନଙ୍କ ନକଲ କରିପାରନ୍ତି ନାହିଁ, ସବୁବେଳେ ଏକୁଟିଆ କେତେକ  ନିର୍ଦ୍ଧିଷ୍ଟ ଖେଳ ହିଁ ଖେଳନ୍ତି। ସେମାନେ ଅନ୍ୟ ମାନଙ୍କ ଆଖିରେ ଆଖି ମିଳାଇ ପାରନ୍ତି ନାହିଁ। ଅନ୍ୟର ମନର ଭାବନା ଓ ସ୍ନେହକୁ ଠିକ ଭାବେ ବୁଝି ପାରନ୍ତି ନାହିଁ। ନିଜର ପାରିପାର୍ଶ୍ଵିକ ଅବସ୍ଥା ପ୍ରତି କମ      ସମ୍ବେଦନଶୀଳ ରହି ଥାନ୍ତି।

ଏହି ପିଲାମାନେ ନିଜ ମନର ଆବେଗକୁ ନିୟନ୍ତ୍ରଣ କରି ପାରନ୍ତି ନାହିଁ, ଯାହା ଫଳରେ ସେମାନେ ବିନା କାରଣରେ ହସନ୍ତି, କାନ୍ଦନ୍ତି ଏବଂ ରାଗନ୍ତି। କେତେକ ପିଲା ନିଜକୁ କ୍ଷତି କଳା ଭଳି ବ୍ୟବହାର ଯଥା ନିଜକୁ କାମୁଡିବା, ମୁଣ୍ଡ ବାଡେଇବା , ଚୁଟି ଟାଣିବା ଆଦି ବାରମ୍ବାର କରିଥାନ୍ତି।

ଅଟିଜିମ ରୋଗରେ ଆକ୍ରାନ୍ତ ପିଲାର ଭାଷାର ବିକାଶରେ ଅସୁବିଧା ହୋଇ ଥାଏ। ସେମାନଙ୍କର ଭାଷାର ବିକାଶ ବିଳମ୍ବ ହୋଇ ପାରେ କିମ୍ବା ଭାଷା ଅସ୍ଵାଭାବିକ ହୋଇ ପାରେ। କଥା ବାର୍ତ୍ତା କଲାବେଳେ ସେମାନେ ବିଭିନ୍ନ ଶବ୍ଦର ସଠିକ ଭାବରେ ବ୍ୟବହାର କରିପାରନ୍ତି ନାହିଁ।

ଏହି ରୋଗରେ ପିଲାମାନେ କେତେକ ନିର୍ଦ୍ଧିଷ୍ଟ ବ୍ୟବହାରକୁ ବାରମ୍ବାର କରିଥାନ୍ତି। ଯେମିତିକି ଆଗକୁ ପଛକୁ ଦୋହଲିବା, ଆଖି ଆଗରେ ଆଙ୍ଗୁଠି ମୋଡିବା, ଗୋଲ ଗୋଲ ହୋଇ ଘୁରିବା, କେତେକ  ନିର୍ଦ୍ଧିଷ୍ଟ ଶବ୍ଦକୁ ବାରମ୍ବାର କହିବା ଆଦି। ଅଟିଜିମ ରୋଗରେ ପିଲାମାନଙ୍କ ଖେଳିବାର ଶୈଳୀରେ ମଧ୍ୟ ଅସ୍ଵାଭାବିକତା ଦେଖା ଯାଇ ଥାଏ। ସେମାନେ ସାଧାରଣ ଭାବରେ ବ୍ୟବହାର ହେଉ ଥିବା ଖେଳଣା ସହିତ ଖେଳି ନ ଥାନ୍ତି। ଘରକରଣା ଜିନିଷ ଯଥା ସାବୁନ, ଦଉଡି ଓ  ମଗ  ଆଦି ସହିତ ଖେଳିବାକୁ ବେଶୀ ପସନ୍ଦ କରି ଥାନ୍ତି। ଅନ୍ୟ ପିଲାମାନଙ୍କ ସହିତ ନ ଖେଳି ସବୁବେଳେ ଏକୁଟିଆ ଖେଳି ଥାନ୍ତି।  ଏହି ରୋଗରେ ପିଲାମାନେ କୌଣସି ଉଚ୍ଚ ଶବ୍ଦ କିମ୍ବା  ଅତି ଉଜ୍ଵଳ ଆଲୋକ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ହୋଇ ଥାନ୍ତି ଏବଂ ଏସବୁ ପ୍ରତି ଅସ୍ଵାଭାବିକ ପ୍ରତିକ୍ରିୟା ପ୍ରକାଶ କରନ୍ତି।

ପ୍ରାରମ୍ଭିକ ଅବସ୍ଥାରେ ଶିଶୁମାନଙ୍କଠାରେ ନିମ୍ନଲିଖିତ କୌଣସି ଲକ୍ଷଣ ଦେଖାଗଲେ ଅଟିଜିମ ରୋଗର ସନ୍ଦେହ ସୃଷ୍ଟି ହୋଇ ଥାଏ:

୧) ୧୨ ମାସ ବୟସ ସୁଦ୍ଧା ପିଲା କୌଣସି ଅସ୍ପଷ୍ଟ ଶବ୍ଦ ସୃଷ୍ଟି କରି ନ ପାରିବା ।

୨) ୧୨ ମାସ ବୟସ ସୁଦ୍ଧା ଆଙ୍ଗୁଠି ଦେଖାଇ ନ ପାରିବା କିମ୍ବା କୌଣସି ଅଙ୍ଗଭଙ୍ଗୀ ଦେଖାଇ ନ ପାରିବା ।

୩) ୧୬ ମାସ ବୟସ ସୁଦ୍ଧା ଗୋଟିକିଆ ଶବ୍ଦ କହି ନ ପାରିବା ।

 

ମଦ ନିଶା

 ବାରମ୍ବାର ମଦ ନିଶା ସେବନ ଦ୍ଵାରା ରୋଗୀର ଶାରୀରିକ ଓ ମାନସିକ ସ୍ତରରେ ମଦ ପ୍ରତି ନିର୍ଭରତା ଆସିଯାଏ। ଯଦି କୌଣସି କାରଣରୁ ନିଶା ଦ୍ରବ୍ୟ ସେବନ ବନ୍ଦ ହୋଇଯାଏ , ତେବେ ବ୍ୟକ୍ତି ଠାରେ ଅନେକ ଶାରୀରିକ  ଓ ମାନସିକ ପ୍ରଭାବ ପଡିଥାଏ। ଏଗୁଡିକ ହେଲା ମଦ ପିଇବା ପାଇଁ ମନରେ ଆସକ୍ତି ଭାବ ସୃଷ୍ଟି ହୁଏ, ନିଦ ହୁଏ ନାହିଁ, ହାତ ଗୋଡ ଥରେ, ବ୍ୟସ୍ତ , ବିବ୍ରତ, ଛାନିଆ ଲାଗେ , ଛାତି ଜୋରରେ ଧଡ ଧଡ ହୁଏ, ଅତ୍ୟଧିକ ଝାଳ ବୁହେ ଓ ବାନ୍ତି ହୁଏ। ଏହି ଲକ୍ଷଣ ଗୁଡିକ ସାଧାରଣତଃ ୩-୪ ଦିନ ପର୍ଯ୍ୟନ୍ତ ଲାଗି ରହେ। ଯେଉଁ ବ୍ୟକ୍ତିମାନେ ଅଧିକ ଦିନ ପର୍ଯ୍ୟନ୍ତ ଓ ଅଧିକ ମାତ୍ରାରେ ମଦ ସେବନ କରୁଥିବେ ଏବଂ ବିନା ଚିକିତ୍ସ୍ୟାରେ ହଠାତ ମଦ  ପିଇବା ବନ୍ଦ   କରିଦିଅନ୍ତି, ସେମାନଙ୍କଠାରେ କେତେକ ଗମ୍ଭୀର ଲକ୍ଷଣମାନ ଦେଖା ଯାଇଥାଏ। ଏଗୁଡିକ ହେଲା ବାତ ମାରିବା, ଦେହ ଜୋରସେ ଥରିବା, କାନରେ  ଶୂନ୍ୟ ବାଣୀ ହେବା, ନଥିବା ବସ୍ତୁ ଦେଖାଯିବା, ସ୍ଥାନ, କାଳ ଓ ପାତ୍ରର ଜ୍ଞାନ ନ ରହିବା ଆଦି।  ଏଥିରେ ବ୍ୟକ୍ତି ର ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ଥାଏ।

ଅଧିକ ଦିନ ପର୍ଯ୍ୟନ୍ତ ମଦ ସେବନ କଲେ ବିଭିନ୍ନ ଶାରୀରିକ  ସମସ୍ୟା ଦେଖା ଯାଇଥାଏ। ଏଗୁଡିକ ହେଲା ଯକୃତ ଜନିତ ରୋଗ (ଜଣ୍ଡିସ, ସିରୋସିସ), ପାନକ୍ରିୟାଜ ଜନିତ ରୋଗ, ବିଭିନ୍ନ କ୍ୟାନସର (ଯକୃତ,ପାକସ୍ଥଳୀ କ୍ୟାନସର), ବିଭିନ୍ନ ସ୍ନ୍ୟାୟୁ ଜନିତ ସମସ୍ୟା  ଯଥା ଗୋଡ ହାତ ଦୁର୍ବଳ ହୋଇଯିବା ଓ ଛୁଞ୍ଚି ଫୋଡି ହୋଇଗଲା ଭଳି ଲାଗିବା ଓ ମାଂସ ପେଶୀ ଦୁର୍ବଳ ହୋଇ ଯିବା ଆଦି। ମଦ ସେବନ ଯୋଗୁଁ ବିଭିନ୍ନ ମାନସିକ ସମସ୍ୟା  ଯଥା ଅନିଦ୍ରା ରୋଗ, ଡିପ୍ରେସନ, ମାନସିକ ଉନ୍ମାଦ ରୋଗ,ସାଇକୋସିସ ଓ ଏଙ୍ଗଜାଇଟି ଆରମ୍ଭ ହୋଇ ପାରେ। କେତେକ ଲୋକଙ୍କଠାରେ ମଦ ନିଶା ସେବନ ଯୋଗୁଁ ଯୌନ ସମସ୍ୟାମାନ ଦେଖା ଦେଇଥାଏ। ଦୀର୍ଘ ଦିନ ପର୍ଯ୍ୟନ୍ତ ମଦ ସେବନ  ଯୋଗୁଁ  ଶରୀରରେ ଥାୟାମିନ ନାମକ ଭିଟାମିନର ଅଭାବ ପରିଲକ୍ଷିତ ହୋଇଥାଏ । ଯାହାଦ୍ୱାରା ରୋଗୀର ମସ୍ତିଷ୍କ ଉପରେ ଦୀର୍ଘସ୍ଥାୟୀ କୁପ୍ରଭାବ ପଡିଥାଏ। ଏଥି ଯୋଗୁଁ ରୋଗୀର ସ୍ମରଣ ଶକ୍ତି ହ୍ରାସ ପାଇଥାଏ, ସେ ସ୍ପଷ୍ଟ ଭାବରେ କଥା ହୋଇପାରେ ନାହିଁ ଓ ସେ ଢଳି ଢଳିକରି ଚାଲିଥାଏ । ଏସବୁ ଲକ୍ଷଣ ଆରମ୍ଭ  ହେଲେ ଚିକିତ୍ସ୍ୟା ଦ୍ଵାରା ସୁଫଳ ମିଳବାର ସମ୍ଭାବନା କମ ଥାଏ।

ମାନସିକ ଛାନିଆ ରୋଗ (ପ୍ୟାନିକ ଡିଶଅର୍ଡର )

ଦୈନ୍ୟନ୍ଦିନ ଜୀବନରେ ଛାନିଆ ଲାଗିବା ଏକ ସାଧାରଣ କଥା। ମାତ୍ର ଯେତେ ବେଳେ ଏହି ଛାନିଆ ମନରେ ବାରମ୍ବାର ଆସେ ଓ ଗୁରୁତର ହୁଏ ସେତେ ବେଳେ ଏହାକୁ ମାନସିକ ଛାନିଆ ରୋଗ ବା ପ୍ୟାନିକ ଡିଶଅର୍ଡର  ବୋଲି କୁହାଯାଏ।

ଏହି ରୋଗରେ ହଠାତ ମନରେ ଛାନିଆ ଓ ଭୟର ଭାବନା ଆସିଥାଏ।  ଏହା ଯେକୌଣସି  ସ୍ଥାନ କିମ୍ବା  ସମୟରେ ହୋଇ ପାରେ। ଏହି ସମୟରେ ଛାତିରେ ଯନ୍ତ୍ରଣା ହୁଏ, ଦେହ ହାତ ଝିମ ଝିମ ହୋଇ ଯାଏ, ପାଟି ଶୁଖି ଯାଏ, ଛାତି ଅତି ଜୋରରେ ଧଡ ଧଡ ହୁଏ, ନିଃଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ହୁଏ, ହାତ ଗୋଡ ଥରେ, ମୁଣ୍ଡ ବୁଲାଏ , ଝାଳ ବୋହେ, ଦେହ ଅତ୍ୟନ୍ତ ଗରମ ହୋଇ ଯାଏ।  ରୋଗୀକୁ ଏତେ ଜୋରରେ ଛାନିଆ  ଲାଗି ଥାଏ ଯେ  ସେ ଅନୁଭବ କରେ ହଠାତ  ତା’ର ମୃତ୍ୟୁ ହୋଇ ଯିବ। କିନ୍ତୁ  ଏହି  ସବୁ ଲକ୍ଷଣ  ମାତ୍ର ୧୦-୧୫ ମିନିଟ ପର୍ଯ୍ୟନ୍ତ ଲାଗି ରହେ। ଏହା ପରେ ରୋଗୀ ଆପେ ଆପେ ସମ୍ପୂର୍ଣ ଠିକ ହୋଇ ଯାଏ। କିଛି ଲୋକଙ୍କଠାରେ ଏହିଭଳି ଛାନିଆ ଓ ଭୟ ଶୋଇ ଥିଲା ସମୟରେ ହୁଏ ଓ ଏଥିଯୋଗୁଁ ସେମାନଙ୍କର  ନିଦ ହଠାତ ଭାଙ୍ଗି ଯାଏ। ଏହି  ଛାନିଆ ଓ ଭୟ ବାରମ୍ବାର ହୋଇ ଥାଏ । ମନ ଭିତରେ ସବୁବେଳେ ଉଦବେଗ ଲାଗି  ରହି ଥାଏ  ଯେ ପୁଣି ଏ ପରି ଛାନିଆ ଆଉ ଥରେ ଆରମ୍ଭ ହେବ ନାହିଁ ତ? ଧୀରେ ଧୀରେ ଏହି ସମସ୍ୟାର ପ୍ରକୋପ ବଢି ଥାଏ , ନିଦ କମି ଯାଏ , କାମ କରିବାରେ ମନ ଲାଗେ ନାହିଁ। ଯଦି ଠିକ ସମୟରେ ଛାନିଆ ରୋଗ ରୋଗର ଚିକିସ୍ୟା କରା ନ ଯାଏ ତେବେ ଏହା ସହିତ ଅନ୍ୟାନ୍ୟ ମାନସିକ ସମସ୍ୟା ଯଥା ଅବସାଦ ରୋଗ, ମାନସିକ ଉଦବେଗ ରୋଗ ଆରମ୍ଭ ହୋଇ ପାରେ।

ମାନସିକ ଅନଗ୍ରସରତା/Mental Retardation

ଯେଉଁ ମାନଙ୍କର ମେଧା ଶକ୍ତି ବା ମାନସିକ ଦକ୍ଷତା ସାଧାରଣଠୁଁ କମ ଥାଏ, ସେମାନଙ୍କୁ ଆମେ ମାନସିକ ରୂପରେ ଅନଗ୍ରସର ବା Mentally retarded ବୋଲି କହି ଥାଉ।

ପିଲାର ବୟସ ବଢିଲେ ଶାରୀରିକ  ଅଭିବୃଦ୍ଧି ଓ ମାନସିକ ଦକ୍ଷତାର ଅଭିବୃଦ୍ଧି ହୋଇଥାଏ। ମାତ୍ର ମାନସିକ ଅନଗ୍ରସର ପିଲାମାନଙ୍କର ମାନସିକ ଦକ୍ଷତାର ଅଭିବୃଦ୍ଧି ବୟସ ଅନୁସାରେ ହୋଇ ନ ଥାଏ। ଏହା ମୁଖ୍ୟତଃ ମସ୍ତିଷ୍କର ଦୁର୍ବଳ ବିକାଶ ଯୋଗୁଁ ହୋଇ  ଥାଏ।

ଏହି ରୋଗରେ ସାଧାରଣତଃ ପିଲାର ବିକାଶର ମାଇଲ ଖୁଣ୍ଟ ବା developmental mile stone ଅନ୍ୟ ପିଲାଙ୍କ ତୁଳନାରେ ପଛେଇ ଯାଇଥାଏ। ଯଥା ପିଲା  ବସିବାରେ, ଠିଆହେବାରେ, ଚାଲିବାରେ ଓ କଥା ହେବାରେ ବିଳମ୍ବ କରିଥାଏ। ପିଲା ଅନ୍ୟ ମାନଙ୍କ ସହିତ କଥା ବାର୍ତ୍ତା କରିବା ଓ  ସମ୍ପର୍କ ସ୍ଥାପନ କରିବାରେ ଅସମର୍ଥ ହୋଇ ଥାଏ। ନୂଆ ଜିନିଷ ଜାଣିବା, ବିଭିନ୍ନ ସମସ୍ୟାର ସମାଧାନ କରିବା, ପୁରୁଣା ଅଭିଜ୍ଞତାକୁ ମନେ ରଖିବା, ବିଭିନ୍ନ ପରିସ୍ଥିତି ସହିତ ଖାପ ଖୁଆଇ ଚାଲିବାରେ ଅସୁବିଧା ହୋଇ ଥାଏ। ପିଲା ପାଠ ପଢାରେ ଦୁର୍ବଳ ଥାଏ ଓ  କିଛି ପିଲା କ୍ଲାସରେ ବାରମ୍ବାର ଫେଲ ମଧ୍ୟ ହୋଇ ଥାନ୍ତି। କେତେକ ପିଲା ନିଜର ପୋଷାକ ପିନ୍ଧିବା ଏବଂ ନିଜର ଯତ୍ନ  ନେବାରେ ମଧ୍ୟ ଅସମର୍ଥ ହୋଇଥାନ୍ତି।

ଯେଉଁ ପିଲାମାନେ ଗମ୍ଭୀର ରୂପରେ ମାନସିକ ଅନଗ୍ରସର ହୋଇଥାନ୍ତି ସେମାନଙ୍କଠାରେ କେତେକ ବ୍ୟବହାରିକ ସମସ୍ୟା ଦେଖା ଯାଇଥାଏ। ସେଗୁଡିକ ହେଲା ଚିଡି ଚିଡା ହେବା,  ବିନା କାରଣରେ ରାଗିବା ଓ  ଉତ୍ତେଜିତ ହୋଇ ପଡିବା , ଜିଦି କରିବା,  ଅତ୍ୟଧିକ ଚଞ୍ଚଳ ରହିବା,ନିଜ ଶରୀରକୁ କାମୁଡିବା ଓ କ୍ଷତ ସୃଷ୍ଟି କରିବା ଆଦି।

ମାନସିକ ଅନଗ୍ରସର ପିଲାମାନଙ୍କ ବୁଦ୍ଧିର ପରୀକ୍ଷା ବା IQ ପରୀକ୍ଷା ଦ୍ଵାରା ତା’ର ଅନଗ୍ରସରତାର ସ୍ତର ଜଣା ପଡିଥାଏ। ଯେଉଁ ମାନଙ୍କର ବୁଦ୍ଧି ୫୦ରୁ ୭୦ ଭିତରେ ଥାଏ ସେମାନଙ୍କୁ mild mental retartdation, ଯେଉଁ ମାନଙ୍କର ବୁଦ୍ଧି ୩୫ ରୁ ୫୦ ଭିତରେ ଥାଏ ସେମାନଙ୍କୁ moderate mental retartdation, ଯେଉଁ ମାନଙ୍କର ବୁଦ୍ଧି ୨୦ରୁ ୩୫ ଭିତରେ ଥାଏ ସେମାନଙ୍କୁ  severe mental retartdation, ଯେଉଁ ମାନଙ୍କର ବୁଦ୍ଧି   ୨୦ ରୁ କମଥାଏ  ସେମାନଙ୍କୁ   profound  mental retartdation ବୋଲି ବିବେଚନା କରା ଯାଏ।